ବିଶ୍ଵ ବିଜୟୀ ଦକ୍ଷତାରେ ଓଡ଼ିଶା, ବିଶ୍ଵ ସର୍ବୋତ୍ତମ

ମନ ମୂଳଧନ

17 ଜୁଲାଇ 2017
ଶେୟାର କରନ୍ତୁ :

ମୁଁ ବାଙ୍ଗାଲୋର ଗଲେ ମଝିରେ ମଝିରେ ଆଇଟିସି ଗାର୍ଡେନିଆ ହୋଟେଲ୍‌ରେ ରହେ। ଥରେ ସକାଳେ ସେଠିକାର କଫିଶପ୍‌ରୁ ଖାଇବା ନେଇ ଟେବୁଲରେ ବସିଛି, ସେତିକିବେଳେ କାମକରୁଥିବା ଜଣେ ଯୁବତୀ ପାଖକୁ ଆସି ପଚାରିଲେ - ଜଳଖିଆ ଖାଇସାରି ଦାର୍ଜିଲିଙ୍ଗ୍ ଚାହା ପିଇବେ ତ? ମୁଁ ଆଶ୍ଚର୍ଯ୍ୟ। ମୋ ପସନ୍ଦର ଚାହା କଥା ସେ କେମିତି ଜାଣିଲେ? ହସିଦେଇ ଯୁବତୀଜଣକ କହିଲେ - ଗତ ଥର ଆପଣ ଯେତେବେଳେ ଆମ ହୋଟେଲରେ ରହିଥିଲେ, ସେତେବେଳେ ଏଇ ଚାହା ମାଗିଥିଲେ। ହୋଟେଲରେ ପ୍ରତିଦିନ ଶହ ଶହ ଅତିଥି ଆସନ୍ତି, ଯାଆନ୍ତି। ଜଣେ ଅତିଥିଙ୍କର ପସନ୍ଦ ଅପସନ୍ଦ ମନେରଖିବା କ’ଣ ସହଜ? ଯୁବତୀଜଣକ କହିଥିଲେ - ଏଇଟା ତ ମୋର କାମ। ନିଜ କାମକୁ ଏଭଳି ମନଦେଇ କରୁଥିବା ଅତିଥିପରାୟଣା ଯୁବତୀଙ୍କ ନାମ ଜୁଲିଆ। ସଂସ୍ଥାର ସୁନାମ ତାଙ୍କ ଭଳି କର୍ମଚାରୀମାନଙ୍କୁ ନେଇ ହିଁ  ସୃଷ୍ଟି ହୁଏ।

ଗତ ବୁଧବାର ଦିନ ପୁଣି ଜୁଲିଆଙ୍କ ସାଙ୍ଗରେ ଦେଖାହେଲା। ସେ ସମ୍ଭାଷଣ ଜଣାଇ ହସହସ ମୁହଁରେ ପଚାରିଲେ - ଦାର୍ଜିଲିଙ୍ଗ୍‌ ଚାହା ଆଣିବି? ଚାହାପିଆ ତ ହେବ, କିନ୍ତୁ ମୁଁ ପ୍ରଥମେ ଜୁଲିଆଙ୍କ ସମ୍ପର୍କରେ କିଛି ଜାଣିବାକୁ ଚାହିଁଲି। ଜୁଲିଆ ଦକ୍ଷିଣ ଭାରତୀୟ ଝିଅ, କିନ୍ତୁ ତାଙ୍କ ବାପା ମା’ ବହୁତ ଦିନରୁ ହରିୟାଣାରେ ରହିଆସୁଛନ୍ତି। ଭାରତର ବିଭିନ୍ନ ସ୍ଥାନରେ ପାଠ ପଢିବା ପରେ ଜୁଲିଆ ଆଇଟିସି ହୋଟେଲରେ ଯୋଗ ଦେଇଥିଲେ ଏବଂ ତଳ ପର୍ଯ୍ୟାୟରୁ କାମ ଆରମ୍ଭ କରି ଉପରକୁ ଉଠିଛନ୍ତି। ବଡ ହୋଟେଲର କାମ ଯଦିଓ ଚାକଚକ୍ୟମୟ, ତା’ ଭିତରେ ଥାଏ କଠିନ ପରିଶ୍ରମ। ଜୁଲିଆ ରାତି ଚାରିଟାରୁ ଉଠି ପାଞ୍ଚଟା ପୂର୍ବରୁ ହୋଟେଲରେ ପହଞ୍ଚନ୍ତି। ଛଅଟାରେ ହୋଟେଲର କଫିଶପ୍‌ ଖୋଲିଯାଏ। ତାଙ୍କର ଡ୍ୟୁଟି ରହେ ଦିନ ଦୁଇଟା ପର୍ଯ୍ୟନ୍ତ। କିନ୍ତୁ ଅଧିକାଂଶ ଦିନ କାମ ଶେଷ ହେଉ ହେଉ ଚାରିଟା ବାଜିଯାଏ। ସେପର୍ଯ୍ୟନ୍ତ ପ୍ରାୟ ଦୁଇ ଗୋଡରେ ଠିଆହୋଇ ରହିବାକୁ ହୁଏ ତାଙ୍କୁ, ବସିବାକୁ ସମୟ ମିଳେ ନାହିଁ। କମ୍‌ ବୟସର ପିଲାମାନେ ପରିଶ୍ରମକୁ ଡରନ୍ତି, କିମ୍ବା ମନେ କରନ୍ତି ଯେ ଜୀବନରେ ଉନ୍ନତି ପାଇଁ ପରିଶ୍ରମ ଅପେକ୍ଷା ଭାଗ୍ୟର ଅବଦାନ ଅଧିକ। ଇଂରାଜୀରେ କଥାଟିଏ ଅଛି - Harder I work, luckier I get. ଯିଏ ଯେତେ ଅଧିକ ପରିଶ୍ରମ କରେ, ତା’ର ଭାଗ୍ୟ ସେତିକି ଖୋଲିଯାଏ।

ଜୁଲିଆଙ୍କ ଭଳି ଜଣଙ୍କୁ ଦେଖିଲେ ମୋ ମନକୁ ସବୁବେଳେ ହାର୍ଭାର୍ଡ୍‌ ବିଶ୍ବବିଦ୍ୟାଳୟର ମାନ୍ୟଗଣ୍ୟ ପ୍ରାଧ୍ୟାପକ ହାୱାର୍ଡ୍‌ ଗାର୍ଡ୍‌ନର୍‌ଙ୍କ କଥା ଆସେ। ବିଶ୍ବର ଶ୍ରେଷ୍ଠ ଶିକ୍ଷାବିତ୍‌ମାନେ ତାଙ୍କୁ ସମ୍ମାନ ଦିଅନ୍ତି। ଗାର୍ଡ୍‌ନର୍‌ଙ୍କ ବହୁ ଚର୍ଚ୍ଚିତ ସିଦ୍ଧାନ୍ତମାନଙ୍କ ଭିତରୁ ଗୋଟିଏ ହେଲା ଆମ ଜୀବନର ବିକାଶ କ୍ଷେତ୍ରରେ ‘ମନ’ର ଅବଦାନ। ଜୁଲିଆଙ୍କ ଅକୃତ୍ରିମ, ମଧୁର ବ୍ୟବହାର ପଛରେ ରହିଛି ତାଙ୍କର ସର୍ବଶ୍ରେଷ୍ଠ ମୂଳଧନ - ତାଙ୍କର ମନ। ଗାର୍ଡ୍‌ନର୍‌ କହନ୍ତି ଯେ ସଫଳ ବ୍ୟକ୍ତିତ୍ବ ଗଢିବାକୁ ହେଲେ ଗୋଟିଏ ନୁହଁ, ଜଣଙ୍କୁ ପାଞ୍ଚୋଟି ମନର ଅଧିକାରୀ ହେବାକୁ ହେବ। ଆଜି ସେଇ ବିଷୟରେ ଆଲୋଚନା କରିବା।

ପ୍ରଥମ ମନଟି ହେଲା, ବୈଷୟିକ ଜ୍ଞାନ-ସମୃଦ୍ଧ ମନ। ଭବିଷ୍ୟତକୁ ଜାଣିବା ପାଇଁ ଆମକୁ ପ୍ରଥମେ ଗୋଟିଏ ବିଷୟରେ କିମ୍ବା ଗୋଟିଏ କାମକୁ ଗଭୀର ଭାବରେ ଶିଖିବାକୁ ହେବ। ଉପରଠାଉରିଆ ଜ୍ଞାନରେ ଜଣେ ସଫଳତାର ଶୀଖରକୁ ଯାଇପାରିବ ନାହିଁ। ଗାର୍ଡ୍‌ନର୍‌ କହନ୍ତି, ଆମେ ଜୀବନରେ ଦୁଇରକମର ଲୋକ ଦେଖିବା। ପ୍ରଥମ ଗୋଷ୍ଠୀରେ ରହିବେ ଗଭୀର ବୈଷୟିକ ଜ୍ଞାନ ଥିବା ମଣିଷମାନେ। ଦ୍ବିତୀୟ ଗୋଷ୍ଠୀରେ ରହିବେ ସେମାନଙ୍କର ଅଧସ୍ତନ କର୍ମଚାରୀମାନେ, ଯେଉଁମାନଙ୍କୁ ସାରା ଜୀବନ ଅନ୍ୟମାନଙ୍କର ଆଦେଶ ମାନି ଚଳିବାକୁ ହେବ।

ଗାର୍ଡ୍‌ନର୍‌ଙ୍କ ପାଞ୍ଚୋଟି ମନ ଭିତରୁ ଦ୍ବିତୀୟଟି ହେଲା ସମନ୍ବିତ ଚିନ୍ତାଶକ୍ତି ଥିବା ମନ, ଅର୍ଥାତ୍‌ ସଂଶ୍ଳେଷଣ କରିପାରୁଥିବା ମନ। ଇଂରାଜୀରେ, The Mind of Synthesis. ଅର୍ଥାତ୍‌ ଗୋଟିଏ ବିଷୟକୁ ବିଭିନ୍ନ ଦୃଷ୍ଟିକୋଣରୁ ପରଖି ଦେଖିବାର ମାନସିକ ଶକ୍ତି। କେବଳ ଗୋଟିଏ ଦିଶାରେ ବିଷୟଟିଏକୁ ନ ତଉଲି, ଅନ୍ୟାନ୍ୟ ସମ୍ଭାବନାକୁ ପ୍ରାଧାନ୍ୟ ଦେବା, ଅନ୍ୟର ମତାମତକୁ ଗୁରୁତ୍ବ ଦେବା, ଏଥିରେ ଅନ୍ତର୍ଭୁକ୍ତ।

ତୃତୀୟ ମନଟି ହେଲା, ସୃଜନଶୀଳ ମନ। ଜୀବନରେ ବହୁ ଜଟିଳ ସମସ୍ୟା ଆସିପାରେ। ଏହି ସବୁ ସମସ୍ୟାର ସମାଧାନ ହୁଏତ ଚିରାଚରିତ ପ୍ରଥାରେ କରିହେବ। କିନ୍ତୁ ଯଦି କୌଣସି ନୂତନ ଉପାୟରେ କିମ୍ବା ସୃଜନଶୀଳ ଉପାୟରେ ଏହା କରିହେବ, ତାହେଲେ ତାହା ଅଧିକ ପ୍ରଭାବଶାଳୀ ହୋଇପାରିବ। ସାଧାରଣତଃ ଆମେ ସୃଜନଶୀଳତାକୁ କେବଳ କଳା, ସାହିତ୍ୟ, ସ୍ଥାପତ୍ୟ କ୍ଷେତ୍ରର ଆବଶ୍ୟକତା ବୋଲି ମନେ କରିଥାଉ, କିନ୍ତୁ ଆଜିର ପୃଥିବୀରେ ପ୍ରତିଦିନ ପ୍ରତି କ୍ଷେତ୍ରରେ ସୃଜନ ଶକ୍ତି ବା ନୂତନ ଚିନ୍ତନର ଆବଶ୍ୟକତା ରହିଛି।

ଗାର୍ଡ୍‌ନର୍‌ ଚତୁର୍ଥରେ 'The Respectful Mind', ଅର୍ଥାତ୍‌ ନମନଶୀଳ ମନ କଥା କହିଛନ୍ତି। ଅନେକ କ୍ଷେତ୍ରରେ ଜଟିଳ ସମସ୍ୟାଟିଏର ସମାଧାନ ଜଣଙ୍କ ପକ୍ଷରେ ଏକା କରିବା ସମ୍ଭବପର ହୋଇ ନପାରେ। ଦୁର୍ଘଟଣାଟିଏର ଉଦାହରଣ ନିଆଯାଉ। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଟିଏର ଜୀବନ ରକ୍ଷା ପାଇଁ କେବଳ ଶଲ୍ୟ ଚିକିତ୍ସକ ନୁହଁ, ହୁଏତ ଜଣେ ଏନାସ୍ଥେସିଷ୍ଟ୍‌, ଜଣେ ମେଡିସିନ ସ୍ପେସିଆଲିଷ୍ଟ୍‌, ଜଣେ ନର୍ସ୍‌ ଏବଂ ଜଣେ ଫିଜିଓଥେରାପିଷ୍ଟ୍‌ର ଆବଶ୍ୟକତା ହୋଇପାରେ। କିନ୍ତୁ ସମସ୍ତଙ୍କର ମିଳିମିଶି କାମ କରିବାରେ ହିଁ ଦୁର୍ଘଟଣାଗ୍ରସ୍ତ ମଣିଷଟିର ପରିଣାମ ନିର୍ଭର କରିବ। ଏଥିପାଇଁ କାମ କରୁଥିବା ମଣିଷମାନଙ୍କୁ ପରସ୍ପରକୁ ସମ୍ମାନ ଦେବାକୁ ପଡିବ। ଯେଉଁ ବ୍ୟକ୍ତି ଅନ୍ୟକୁ ସମ୍ମାନ ଦିଏ, ସେ ହିଁ ଅନ୍ୟମାନଙ୍କର ସମ୍ମାନସ୍ପଦ ହୋଇଥାଏ।

ମୋର ଦୃଢ ଧାରଣା ଆଇଟିସି ଗାର୍ଡେନିଆର ଯୁବପ୍ରତିଭା ଜୁଲିଆ ନିଶ୍ଚୟ ଦିନେ ଆହୁରି ଉପରକୁ ଉଠିବେ। କିନ୍ତୁ ଏଥିପାଇଁ ଗାର୍ଡ୍‌ନର୍‌ କହିଥିବା ଶେଷ ମନଟିର ବିଶେଷ ଆବଶ୍ୟକତା ରହିଛି। ସେଇଟି ହେଲା Ethical Mind, ଅର୍ଥାତ୍‌ ନୀତିସଙ୍ଗତ ମନ। ଜଣେ ମେକାନିକ ହୁଏତ ଦକ୍ଷତାର ସହିତ ନିଜ କାମ କରିପାରନ୍ତି, କିନ୍ତୁ ପଇସାପତ୍ର ମାମଲାରେ ସେ ଭରସାଯୋଗ୍ୟ ନ ହୋଇପାରନ୍ତି। ସେଭଳି ଜଣେ ଡାକ୍ତର ହୁଏତ ଭଲ ଚିକିତ୍ସା କରିପାରନ୍ତି, କିନ୍ତୁ ସେ ହୁଏତ କମିଶନ୍‌ ଆଶାରେ ରୋଗୀମାନଙ୍କୁ ଅଯଥା ଲାବୋରେଟରୀ ପରୀକ୍ଷା କରେଇପାରନ୍ତି। ଏଭଳି ମଣିଷ ପାଖରେ ନୀତିସଙ୍ଗତ ମନଟିଏର ଅଭାବ ରହିଯାଏ। ହୁଏତ ଅର୍ଥ, ପରାକ୍ରମ ହାତକୁ ଆସେ, କିନ୍ତୁ ପ୍ରକୃତ ସମ୍ମାନ ମିଳେ ନାହିଁ।

ଜୀବନରେ ପରିଶ୍ରମୀ ହେବା ସହିତ ବହୁ ପ୍ରତିଭାରେ ଆମ ମନକୁ ବିକଶିତ କରିବା ଖୁବ ଜରୁରୀ। 

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।